ଜଡ଼ ଭରତ

 

 

 

 

 

 

 

 

 

ଜଡ଼ ଭରତ

କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ

 

ପ୍ରଥମ ଛାନ୍ଦ

 

      (ହିମାଳୟ ଅଞ୍ଚଳରେ ଯତୀନ୍ଦ୍ର ଭରତଙ୍କ ଆଶ୍ରମ ବର୍ଣ୍ଣନା ଓ ନବଜାତ ମୃଗ ଶିଶୁ ପ୍ରାପ୍ତି। ମୃଗଶିଶୁ ଲାଳନ ପାଳନ କରୁ କରୁ ମାୟା ଓ ଆସକ୍ତିରେ ମନ ବଚ୍ଛନ୍ନ ହେଲା, ସାଧନା ମାର୍ଗରୁ ଦୂରେଇ ରହିଲେ । ଯୋଗଭ୍ରଷ୍ଟ ଯତୀନ୍ଦ୍ର ଜନ୍ମାନ୍ତରରେ ମୃଗ ଦେହ ପ୍ରାପ୍ତ ହେଲେ ।)

 

 

ହିମାଦ୍ରି ଅଞ୍ଚଳେ ଶ୍ଵେତ ଶତଶୃଙ୍ଗ ଯହିଁ

ବର୍ଣ୍ଣାଳି ବିନ୍ୟାସେ କି ଆଲୋଖ୍ୟଶାଳା ତହିଁ

।।

ଠୁଳ ଯହିଁ ବର୍ତ୍ତୁଳ ଉପଳଖଣ୍ଡ ମାନ

ଯତୀନ୍ଦ୍ର ଭରତ ତହିଁ କରୁଥିଲେ ଧ୍ୟାନ

।।

ଝରୁଥିଲା ତଟିନାଏ ଝର ଝର ସ୍ୱନ

ନାଗେଶ୍ୱର ଛୁରିଅନା ସୁରଭି ପ୍ରସୂନ

।।

ଦିଗନ୍ତେ କି ମିଶିଥିଲା ବନଷ୍ପତି ଶିଖ

ଘୋଷୁଥିଲା ବାର୍ତ୍ତା କିଏ ସଂସାର ଅଳିକ

।।

ଅହିଂସ ନିସ୍ୱନ ହୀନ ସ୍ଥିର ଧୂର୍ଜଟିକି

ଜଟାଜାଲ ମେଲିଥିଲା ବ୍ୟୋମେ ପ୍ରକୃତିକି

।।

କାଞ୍ଚନର ରଶ୍ଜିରେଖା ଗଗନ ପ୍ରାଙ୍ଗଣେ

ଅନ୍ତିମ ଅସ୍ତରାଗର ତୁଳିକା ଚାଳନେ

।।

କଳ୍ପାନ୍ତ ସ୍ଥିର ସଙ୍ଗୀତ ଅନନ୍ତେ ମିଳାଇ

ଯୋଗ ଜ୍ୟୋତି ସଙ୍ଗତେକି ପ୍ରଳେପ ଲେପାଇ

।।

ନୀରବ କବିତାଗୁଚ୍ଛ ସରବ କରାଇ

ଡାକୁଥିଲେ କଜଳ ପାତିଏ କି ଲୁକାଇ

।।

ତୃଷାତୁରା କୁରଙ୍ଗୀଏ କରୁଥିଲା ପାନ

କ୍ଷୀଣକାୟା ନଦୀଝର ସୁଶୀତଳ ଦାନ

।।

ଏକାଳେ ଶୁଭିଲା ଦୂରେ ହର୍ଯ୍ୟକ୍ଷ ଗର୍ଜନ

ପ୍ରତିଧ୍ୱନି ଉପତ୍ୟକା କନ୍ଦର ମନ୍ଥନ

।।

ଚମକି ଆତଙ୍କେ ଦେଉଁ ଲମ୍ପ ତତକ୍ଷଣ

ଭାରାକ୍ରାନ୍ତ ଜରାୟୁରୁ ଖସିଲା ନନ୍ଦନ

।।

ପ୍ରସୂତି ବେଦନା ପୁଣି ସ୍ଖଳିତ ଚରଣ

ଗ୍ରୀବ ମୋଡ଼ି ପଡ଼ିଗଲା ହେଲା ଅଚେତନ

।।

କରୁଣ କଟାକ୍ଷ ଥିଲା ସନ୍ତାନ ଉପର

ନାଶାଫାଟି ଦିଶୁଥିଲା ରୁଧିରର ଧାର

।।

ଅନ୍ତଗଡ଼ ଛିଣ୍ଡି ଯାଇ ପେଣ୍ଡୁଳା ଭାସଇ

କ୍ଷୀପ୍ରବେଗେ ଆସ ଋଷି ନେଲେ ପଖଳାଇ

।।

ଜୀବହୀନ ହୋଇଛି ତ ଜନନୀ ପରାଣ

ନାହିଁ କେହି କାନ୍ଦିବାକୁ ଲୀଳା ଅବସାନ

।।

ହୋମକୁଣ୍ଡ ଠାରେ ଶିଶୁ ସଂସ୍କାର ବିଧାନ

ମୃଦୁଳ କର ପରଶେ ରତ ତପୋଧନ

।।

ଜନମ ସଙ୍ଗତେ ବାବୁ ଖାଇଲୁ ଜନନୀ

ମୋ ଭାଗ୍ୟକୁ କି ହୋଇବୁ ନ ଦିଶେ ଏକ୍ଷଣି

।।

କ୍ଷୀର ଦେଉ କଣ୍ଠରେ ସେ ପକାଏ ଅଙ୍ଗଚାଟି

ମାୟାର ଅଙ୍କୁଶ ହାଣେ ନେତ୍ର ପରିପାଟି

।।

ନିର୍ମାୟା ପୁରୁଷ ମାୟା ବନ୍ଧନେ ପଡ଼ିଲେ

ବୀତରାଗ ଐରାବତ ପଙ୍କେକି ଜଡ଼ିଲେ

।।

ଅନାସକ୍ତ ଥିଲେ ଯେହୁ ଯତୀନ୍ଦ୍ର ଅନ୍ତର

ତରଳାଇ ଦେଲା କାର ମୋହନୀ ମନ୍ତର

।।

ବେଳୁଁ ବେଳ ବଢ଼ିଗଲା ବାତ୍ସଲ୍ୟ ବିକାର

ଉର୍ଣ୍ଣନାଭ ତନ୍ତୁରେ ମକ୍ଷିକା ପରକାର

।।

ଧ୍ୟାନେ ବ୍ରହ୍ମ ଧ୍ୟାୟୁଁ ସେ ଭାବନ୍ତି ମନେ ମନେ

କାହୁଁ କ୍ଷୀର କାହୁଁ ନୀର ତୃଣ ପତ୍ର ମାନେ

।।

ଶ୍ୱାପଦ ସଙ୍କୁଳ ବନ ନ ଯିବୁ ବାହାର

କେ ଜାଣେ ହେବୁ ଜମ୍ୱୁକ ହେଟାଙ୍କ ଆହାର

।।

ଲୁଚି ଥିଲା କାହିଁ ବୃକ କରିବ ନିକାସ

ଜପ ତପ ସମାଧିକି ନାହିଁ ଅବକାଶ

।।

ଯେ ମାୟା ବନ୍ଧନ ଛେଦି ତପସ୍ୱୀ ଜୀବନ

ରାଜ୍ୟପାଟ ଗୃହ ପରିଜନଙ୍କୁ ବର୍ଜନ

।।

ଆନନ୍ଦ ଚିଦ୍ଘନ ମୂର୍ତ୍ତି ସବୁ ଏ ସନ୍ତାନ

ମୃଗରୂପୀ ମାୟାବୀକି ନିୟତ ଧିଆନ

।।

ମୋହ ପଛେ ଅହଙ୍କାର ଅଲକ୍ଷେ ସଞ୍ଚାର

ରୁମ ଚମ ମର୍ମସ୍ଥଳ କଲା ଅଧିକାର

।।

ସ୍ୱାଧୀନ ସବଳ ଶିଶୁ ତଥାପି ଭାବନା

ଅନାସକ୍ତ ଯତୀନ୍ଦ୍ରଙ୍କୁ ଆସକ୍ତି ଲଞ୍ଛନା

।।

ଉପାଦେୟ ମୃଦୁଳ ବ୍ରତତୀ ଫଳମାନ

ତ୍ରିକାଳ ଦରଶୀ ପାଦ ହୋଇଛି ସ୍ଖଳନ

।।

ଆହରଣ ନିବାର ପଲ୍ଲବ ଉପାଦାନ

ରତ୍ନାକର କି କୁହୁକେ ହେଲେ ଅକିଞ୍ଚନ

।।

ହସିଲେ ନିୟତି ଶଯ୍ୟାଶାୟୀ ତପୋଧନ

ସ୍ତିମିତେ ନାଚୁଛୁ ନେତ୍ରେ ମୃଗ ଅପଘନ

।।

‘କାହିଁକି ଫେରୁନୁ ବାବୁ କିବା ଅଘଟନ

କେ ଜଗି ବସିବ ଏତେ କରିବ ଯତନ’

।।

ତନ୍ଦ୍ରାଗତ ପ୍ରଳାପରେ ମଳିନ ନୟନ

ଯାନ୍ତ୍ରାପଥେ ଫୁଟୁଛିକି ମାୟାର ତୋରଣ

।।

ଭାବୁଁ ଭାବୁଁ କାଳଚକ୍ର ଘୁରିଲା ଓଲଟ

ବୁଝିଲେ ଏ ତନୁ ନିଶ୍ଚେ ହୋଇବ ପାଲଟ

।।

ଅନ୍ତିମ କାଳ ଆଗତ ଜାଣି ଯୋଗୀଜନ

ବ୍ରହ୍ମରନ୍ଧେ୍ ପଞ୍ଚପ୍ରାଣ ଜଟିଳ ସ୍ଥାପନ

।।

ଅଳୀକ ଆସକ୍ତି ଯୋଗୁଁ ଭ୍ରମ ଉପୁଜିଲା

କରୁଙ୍ଗ ଧ୍ୟାନରେ ମହା ପ୍ରୟାଣ ହୋଇଲା

।।

ଲଭିଲେ କୁରଙ୍ଗ ଦେହ ହେଲା ଜନ୍ମାନ୍ତର

ଯୋଗୀନ୍ଦ୍ର ଥିବାରୁ ସ୍ମୃତି ଅକ୍ଷୁଣ୍ଣ ମର୍ମର

।।

ଏକି ହେଲା ବିଡ଼ମ୍ୱନା ଧିକ ମୋ କରମ

ମାନବ ଜନ୍ମରୁ ମୃଗେ ହୋଇଛି ପତନ

।।

ଜୀବ ସେବା ନାମେ କଲି ଆସକ୍ତି ଅର୍ଚ୍ଚନ

ଅନାୟାସେ ହୋଇଥାନ୍ତା ବ୍ରହ୍ମେ ସମର୍ପଣ

।।

କିଏ ମୋତେ ଭ୍ରମାଇଲା କାହିଁ ମୋର ପଥ

ଶାଶ୍ୱତ ସମ୍ପଦ ହେଲା ନାହିଁ ପରାପତ

।।

ଯହିଁ ଯତି ଜନ ତହିଁ ଘେନନ୍ତି ଆଶ୍ରୟ

ସାଧୁ ସଙ୍ଗ ତୀର୍ଥବାସ ପ୍ରାପତ ଉଭୟ

।।

ରହିଲେ କୁରଙ୍ଗ ଦେହେ ତପସ୍ୱୀ ଗହଣେ

ହୋମ ଧୂପ ଗନ୍ଧେ ନାମ ଶ୍ରବଣ ମନନେ

।।

ପୁଣ୍ୟବ୍ରତ ମାନଙ୍କର ଉଚ୍ଛିଷ୍ଟ ଆହାର

ପାଦଧୁଳି ବୋଳି ନିତ୍ୟ ସ୍ନାନ ବ୍ୟବହାର

।।

ସ୍ଥିର ହେଲା ବୁଦ୍ଧି ଚିତ୍ତେ ବଶିଲା ସକଳ

ବ୍ରହ୍ମମୟ ବିଶ୍ୱ ବ୍ରହ୍ମ ଜ୍ୟୋତି ସମୁଜ୍ଜ୍ୱଳ

।।

 

 

ଦ୍ୱିତୀୟ ଛାନ୍ଦ

 

(ମୃଗ ଦେହଧାରୀ ଋଷିଙ୍କ ସ୍ୱାଭାବିକ କାରଣରୁ ଜୀବନାବସାନ ଘଟିଲା । ବିପ୍ର ଗୃହରେ ଜନ୍ମ ଗ୍ରହଣ କଲେ । ଅନୁତପ୍ତ ହୃଦୟେ ଦିନଯାପନ ।)

 

ସେହି ପୁଣ୍ୟବଳ ନିଷ୍ଠା ଅବିଚଳ

ନିଷ୍ଫଳ ନୋହିଲା ଆଉ

ଠିକି ଶିଖିଥିଲା ପ୍ରାଜ୍ଞେ ବଣା କଲା

ନ ରହିଲା ମାୟା ଦାଉ

ତେଣୁ ଦେହାନ୍ତ

କାଳେ ନବଜନ୍ମ ପ୍ରାପତ

ବିପ୍ର ଗୃହେ ଜାତ ସୂତ ବ୍ରହ୍ମ ବ୍ରତ

ବିକଚ ବୁଦ୍ଧିରେ ଉଷତ ।

 

ଦେବ ଶିଶୁଏକି ମାନବ ଦୁଆରେ

ଶ୍ରୀଅଙ୍ଗ ଶୋଭାକି ସୂନ୍ଦର

ମୂକ ପ୍ରାୟେ ଥାଏ ତୁଣ୍ଡ ନ ଫିଟାଏ

କେ ଜାଣେ କି ଅଭ୍ୟନ୍ତର

ଏକି ହୋଇଲା ଆହାର ନିଦ୍ରାକି ଭୁଲିଲା

ତଥାପି ସୁରଙ୍ଗ ଜ୍ୟୋତିରେ ତରଙ୍ଗ

ବିଚିତ୍ର କି ଭାବ ବଢ଼ିଲା ।

 

କେ ବୋଲନ୍ତି ଜଡ଼ା କେ ବୋଲେ ହାଉଡ଼ା

କେ ଡ଼ାକେ ‘ରେ କାଲ ଓଲା’

ନିତ୍ୟ ପ୍ରେମମୟ ସୁହାସ ଚିନ୍ମୟ

ନିଜ ଭାବେ ନିଜେ ଭୋଳା

ବିଦ୍ୟା ସଦନେ ଲିଖନ ପଠନ ଯେମାନ

ନୋହେ ବର୍ଣ୍ଣଜ୍ଞାନ, ବିଧା ଚାପୁଡ଼ାକୁ

ନ ଦିଶନ୍ତି କ୍ଷଣେ ବିମନ ।

 

ସୋଦରେ ଚିଡ଼ିଲେ ତେଣ୍ଡାରେ ଜୋଡ଼ିଲେ

ଟାଣ ମାଟି ହଣା ଦେଲେ,

କର୍ମକୁଣ୍ଠ ନୋହି ନିରଳସ ହୋଇ

କିରି କିରି ହସେ ଗେହ୍ଲେ

କାଠ ବୋଝକୁ ଭାବୁନି ମର୍ଯ୍ୟାଦା ଲାଜକୁ

ଖାଲ କି ଠିକର, ଟିକୁର ଟାଙ୍ଗର

କଣ୍ଟା ଝାଟି ପାଣି ପେଜକୁ ।

 

କେବେ ବୁଲୁଥାଏ ନିଘଞ୍ଚ କାନନେ

ଗିରି ଶିଖେ ଆନ ମନେ,

ଭାସୁଥାଏ ଡ଼ୋଳା ତାରକା ଗହଣେ

ଛାୟା ପଥେ ଅନୁକ୍ଷଣେ

ଲମ୍ୱ ଚିକୁର, ପିଙ୍ଗଳ କୁଞ୍ଚିତ ରୁଚିର

ଭୂରୁତ ନୋହେ ସେ, ଅନଙ୍ଗ କାର୍ମୁକ

ଗଣ୍ଡେ କି ଲାବଣ୍ୟ ପ୍ରଚୁର ।

 

ଜନକ ଜନନୀ ତପୀ ତପସ୍ୱିନୀ

ବଖଦ ଭରା ହୃଦ ଘେନି

ଇଚ୍ଛାମୟଙ୍କର ବିଚିତ୍ର ସର୍ଜନା

କାଚ କି ବିଶୁଦ୍ଧ ମଣି

ଦେଖ ରୀତିକି, ଭାବନ୍ତି କି ହେଲା କ୍ଷିତିକ

ସୋଦରଙ୍କ ମଧ୍ୟେ ଅପ୍ରୀତି ଅନୀତି

କ୍ରୁର ବୁଦ୍ଧି ସ୍ୱାର୍ଥ ଭୀତିକି ।

 

ରଗଡ଼ା ଋଢ଼ିଆ ବୋଲନ୍ତି ଯାହାକୁ

ସେତ ସ୍ପର୍ଶ ମଣି ଖଣ୍ଡେ

ଦୁଃଖିନୀ ଜନନୀ ଜଡ଼ା ପୁତ୍ର ଘେନି

ଚୁମ୍ୱ ଦେଉଥିଲେ ଗଣ୍ଡେ

କାହୁ ଦୁରନ୍ତି, ଅଗ୍ରଜ ସେ ବଳବନ୍ତ

ଝିଙ୍କି ଛାଟି ଦେଲା ଦୁରେ ସେ ଲୋଟିଲା

ଯଥା ତଥା ଥିଲା ଚିତ୍ତ ।

 

ବାଇଡ଼ଙ୍କ ବଣେ, ଟଗର କି କ୍ଷଣେ,

ଉଧାଇ ପାରିବ ପ୍ରାଣେ

ଚିହ୍ନିଲା ଜନେକି, ଚିହ୍ନିବେ କ୍ଷଣେକି ,

ଅଶ୍ରାନ୍ତ ଏ ଚିନ୍ତା ମନେ

ବିପ୍ର ଦମ୍ପତି, ଦିନୁଁ ଦିନୁଁ ମ୍ଳାନ ଅତି

ମହାନିଦ୍ରା କୋଳେ ଭରା କି ଟାଳିଲେ

ଯେହୁ ଅଗତିଙ୍କ ଗତି ।

 

ତୃତୀୟ ଛାନ୍ଦ

 

(ଅରଣ୍ୟରେ ଦଳେ ତସ୍କରଙ୍କ କାଳୀପୂଜା । ସିଦ୍ଧି ଲାଭ ମାନସରେ ନରବଳି ଦେବାର ସିଦ୍ଧାନ୍ତ । ବଳି ଉପଯୁକ୍ତ ନର ସନ୍ଧାନ । ଭରତଙ୍କ ଧୁର୍ତ୍ତ ଓ ଖଳଭ୍ରାତା ଆରତଙ୍କ ସହ ଗୋପନ ଯୋଗ ଯୋଗ। ସମାଜରେ ଖଳ ଓ ଧୁର୍ତ୍ତଙ୍କ ଚରିତ୍ର ଚିତ୍ରଣ । ସହସ୍ର ସ୍ୱର୍ଣ୍ଣ ମୁଦ୍ରା ବିନିମୟରେ ତସ୍କରଙ୍କ ହସ୍ତେ ଭରତଙ୍କୁ ସମର୍ପଣ)

 

ହେମନ୍ତେ ଦକ୍ଷିଣା କାଳିତ ପୂଜା ପ୍ରଶସ୍ତ କାଳ

ସେ ପରା ଦେବତା ଦିଅନ୍ତି ଭୋଗ ମୋକ୍ଷ ଯୁଗଳ

କାଳାତ୍ର ଶ୍ୟାମଳ ଅଙ୍ଗିନୀ ଖଡ୍ଗ ମୁଣ୍ଡାଭିରାମା

ତ୍ରାସ ତ୍ରାଣା ଇଷ୍ଟ ଦାୟୀନୀ ହର ମୋହିନୀ ବାମା

କୁଶପ କୁଳ ଶିରଃ ମାଳା ଯାର କଣ୍ଠ ଭୁଷଣ

ଧାତାଚ୍ୟୁତ ଶିବ ଅଜ୍ଞାତ ଯାର ତତ୍ତ୍ୱ କାରଣ

ରୁଧିର ଜର୍ଜର ରସନା ସଦା ମାଂସ ଲେଲୁପା

କିବା ସୃଷ୍ଟି ସ୍ଥିତି ପ୍ରଳୟେ ବ୍ରହ୍ମମୟୀ ସ୍ୱରୁପା

ସେତ ସର୍ବାନନ୍ଦ ଦାୟିନୀ ସର୍ବ ଚୈତନ୍ୟମୟୀ

ସର୍ବଭୁତେ ଖେଳି ଚାଲଇ ଯାର ଯେ ଭାବ ଯହିଁ

ବୀରାଚାରୀ ଦସ୍ୟୁ ହିଂସୁକ ଖଣ୍ଟ ଭରସା ବଳ

ନଷ୍ଟ ପ୍ରାଜ୍ଞ କେତେ ପୂଜନ୍ତି ସୁରା ମାଂସ ବହ୍ୱଳ

ସାତ୍ତ୍ୱିକ ରାଜସ ତାମସ ଭାବେ ତିନି ବିଧାନ

ଦୂରବନେ ଥୋକେ ତସ୍କର ସିଦ୍ଧି ବାଞ୍ଛା କାରଣ

ନରବଳିଟିଏ ଏକାନ୍ତ ଲୋଡ଼ା ପୂଜା ସମ୍ଭାର

ଆହରଣ ଲାଗି ଗୋପନେ ଦେଶେ ବାହାର

ତା’ ପୁଣି ହୋଇବ ନିଖୁଣ ଶୁଦ୍ଧ ପୂତଶରୀର

ଯାହା ପଛେ ପଡ଼ୁ ଖିଲାପ ନୋହୁ ପୂଜା ବିଧିର

ଏହି ଭାବେ ଭ୍ରମୁଁ ମିଳନ୍ତି ଯହିଁ ‘‘ ଜଡ଼ ଭରତ ’’

ଭରତଙ୍କ ଭାଇ ‘ଆରତ’ ଧୃର୍ତ୍ତ ସ୍ୱାର୍ଥେ ଉନ୍ନତ୍ତ

ଯେ ଆକରେ ଜାତ ହୀରକ ତହିଁ ଜାତ ଅଙ୍ଗାର

ଯେଉଁ ଦେବୋଦ୍ୟାନେ ତୁଳସୀ ବିଛୁଆତି ସେଠାରେ

କ୍ରୁର ଖଳ ଭ୍ରାତା ଭାବୁଛି ଯୋଗ ଏ ନୋହେ ମନ୍ଦ

ହାଉଡ଼ାକୁ ହାବୋଡ଼ାଇଲେ ନିଶ୍ଚେ ହେବ ପସନ୍ଦ

ସ୍ୱଭାବେ ଓଲଟା ଜାଣିବ କାହୁଁ ଫିସାଦ ଛନ୍ଦ

ବୁଝିଲି ଅଭୟା ତୋ ଦୟା ମୋତେ କଲୁ ନିର୍ଦ୍ୱନ୍ଦ

ନୁଙ୍ଗୁ ନୁଙ୍ଗୁ ଭାଇ କାହିଁକି କହ ଫିଟାଇ ମୋତେ

ସେ ଧନ ମିଳିବ ମୋଠାରେ ନାହିଁ କାହିଁ ତଲାଟେ

ଅନ୍ତର୍ଗତେ ଅଛି ଯେ ଭାବ କେହି ଜାଣିଲେ ଏହି

ଜୀବନ ନେଇକି ଫେରିବ ବଡ଼ ପ୍ରଚଣ୍ଡ ଭୁଇଁ

ଡାଳେ ଡାଳେ ଗଲେ, ଜାଣିବି ମୁହିଁ, ପତରଚରା

ଗୁଣୀଙ୍କୁ ଚିହ୍ନନ୍ତି ଗୁଣୀଏ ଛତରାଙ୍କୁ ଛତରା

ଏକା ଆଖଡ଼ାରେ ତାଲିମ ଏକା ଚିଲମ ଛାଟ

ଚାହୁଁ ଚାହୁଁ ଜାଣି ପାରିଛି ପେଟ କଥା ନିରାଟ

ଗୁଣ ପଣ ଟାଣ ଅସୀମ ଜାଣେ ବହୁ ପ୍ରକାର

ଚିହ୍ନିତ ନଥିଲ ଚିହ୍ନିବ କଲେ ସଙ୍ଗେ ବେଭାର

ନିରିମଳ ଜଳୁଁ ଉଠାଇ ଜାଣେ ତତଲା ସର

କେବଳ ପଡ଼ିଛି ଅରାଜ୍ୟେ ନାହିଁ ଫନ୍ଦା ଫିକର

ମୁହିଁ ହର୍ତ୍ତା କର୍ତ୍ତା ବିଧାତା ତାର ଜ୍ୟେଷ୍ଠ ସୋଦର

ଏ ସଂସାରେ ମୁହିଁ ମାଲିକ ଦର କର ସତ୍ତ୍ୱର

କେ ବିକେ ଏପରି ଭାଇକି ମୁହିଁ ବିକୁଛି ଜାଣ

କେବଳ କାଳିକା ଖପରା ସେତ ନୋହିବ ଶୂନ୍ୟ

ଦେଖୁଛ ତ କାଳ ଯେମନ୍ତ ବୋଦା କୁକୁଡ଼ାଟାଏ

ଆଞ୍ଜୁଳା ଟଙ୍କାକୁ ବଜାରେ ବିକାଏ ନ ବିକାଏ

କେଉଁ ବାପ ଘର ଦରବ ପଦେ ପଦେ କଥାଏ

ଦବଟି ସହସ୍ରେ ସୂବର୍ଣ୍ଣ ମୁଦ୍ରା, କୋଠା ବନାଏ

ଲୋମକେ ଗୋଟିଏ ଦେବତା ମୁହିଁ ଭରତାଇଛି

ବିପ୍ର ବ୍ରହ୍ମଚାରୀ ନିଖୁଣ କାହିଁ କେବା ପାଇଛି

ଟାଉକୀ କାଳିକା ପାଇଲେ ଏହା ରୁଧିର ଟୋପେ

ଗୋଟି ଗୋଟି ପ୍ରତି ଜଣଙ୍କୁ ରାଜା କରିବେ ଗୋପେ

କ୍ରିଆ କାଣ୍ଡ ବିଧି ବିଧାନ ନାହିଁ ଅଜଣା ମୋତେ

ହାଉଡ଼ା ହୋଇ ଯା ବୁଲନ୍ତା ଯାଉ ମୁକତି ପଥେ

ତ୍ରିଗୁଣ ପଇତା କୁଳୀନ ପାଟ ମଠା ଟସର

ଦେଖୁଛ ତ କଣ୍ଠେ ରୁଦ୍ରାକ୍ଷ ରୂପା ମୁଦି ଅଙ୍ଗର

ଷୋଡ଼ା ଜୀବନ୍ୟାସ ଆସନ ଗୋତ୍ର ଯନ୍ତ୍ର ଯାବତ

ଖପ ଖପ ଜିଭ ଅଗ୍ରତେ ନଖ ଦର୍ପଣ ବତ

କାଳିକା ତ ଭୁଚ୍ଛ ବାଳିକା ମୋର ପୋଷା ବିଲେଇ

ସିଂହ ଐରାବତ ପର୍ବତ ପାରେଁ ମନେ ନଚାଇ

ପଣ୍ଡିତ ଘରର କୁମର ଅଛି ପୋଥି ପତର

ସନ୍ଧ ସୂନ୍ତ୍ରଠାରେ ଲାଖିଲା ବିଦ୍ୟା ହେଲା ଛିଃ କର

କି ନାହିଁ ବୁନିୟାଦୀ ବଂଶ ବାସ ଖନ୍ଦ ଖମାର

କେବଳ ପଥକର ପାଇଁ ଇସ୍ତିହାର ବାହାର

କେଉଁ ବେଉଶା ମୁଁ ଧରିନି କାର ଫେର ଅଜଣା

ନସିବ ଅଶିବ କରିଲା ସବୁଠିଁ ବାଟବଣା

ସହର ବଜାର ଧରିଲି ଥିଲି ଗୁଣ୍ଡା ସର୍ଦ୍ଦାର

ନିରୋଳ ଚୋରି ଦଗାଦାରି ଅବକାରି ବେପାର

ପାଞ୍ଚଥର ଘଣା ପେଲିଛି ଛାଡ଼ୁନାହିଁ ପ୍ରକୃତି

ଏ ଯାହା କଲେ ସରକାର ତୁଟି ଯାଉଛି ଧୃତି

ମୋତେ ପାଶେ ରଖ ଦେଖିବ ମଦଭାଟି ବସାଇ

ଖୁଆଇ ସୁର କାଦମ୍ୱରୀ ପୁଣ୍ଠି ଦେବି ଫଟାଇ

ଜୁଆ ଚାନ୍ଦା ଖାତା ତେତାସୀ କରିଛି କିଛିଦିନ

ଥାନାବାଲାଙ୍କର ଜୁଲମେ ମୁନାଫା ହେଲା ହୀନ

ଦକ୍ଷିଣୀ କନିଆ ବେପାର ମାନ୍ତ୍ର ରଖିଛି ପ୍ରାଣ

ମଉଳି ଯାଉଛି ଏଣିକି ଲୋକେ ହେଲେ ସିହାଣ

ଜାଗା ବରଜାଗା ଇସ୍କୁଲ ମାରି ଦେଲା ବେଉସା

ମଠ ଖଣ୍ଡେ ମହାପୁରୁଷ ହେବା କରିଛି ଆଶା

ଯେ କାଳେ ଯେ ରୀତି ଆଚର ଫାଉମରା କଦର

ଜାଣିଛି ବିବିଧ ପ୍ରକାର ମୋତେ କର ସୋଦର

ନେଇ ଆଣି ଥୋଇ ଜାଣିଲେ ଚୋରି ଖାସା ବେଉଶା

ମାରଜୁତୀ ମାଇ କୁର୍ତୀଙ୍କୁ ଯେତେ ଅଣପୁରୁଷା

ଦେଖୁନା କିପରି ବଢ଼ୁଛି ମିହି କିଳା ପୋତାଇ

ହାକିମ ହୁକୁମା ମାଷ୍ଟରେ ଛନ୍ତି ହାତ ପତାଇ

ଦେଶ ନାମେ ବଇରାଗୀଏ ଝୁଲି କନ୍ଥା ସମ୍ୱଳ

ରାବିଡ଼ି ମାଲସା ଉହାଡ଼େ ଦେହେ ଭୋଟ କମ୍ୱଳ

କୋଥଳିରେ ରଖି ପାଦୁକା ମାରି ତିଲିଖି ଚିତା

ବେଖରଚା ଉଦେଶରେ ଗାଉ ଅଛନ୍ତି ଗୀତା

ଗୋଷ୍ଠୀ ଅନ୍ଧଙ୍କୁ ସେ ବୁଝାନ୍ତି ଦେଖ ଆଙ୍ଗୁଳି କେଞ୍ଚି

ଦେଶ ଦଶ ଜାତି ହିତକୁ ସିନା ହୁଅନ୍ତି ଛେଚି

ହିଡ଼ ବାଡ଼ ଚାହଁ । ଗୋହିରି କାହି ନାହିଁ ଖଇଞ୍ଚି

ନିରୋଳ ବ୍ୟାସ କି ବିଶିଷ୍ଠେ ତଣ୍ଟିକଟା କଇଞ୍ଚି

ମାତି ଯାଉଛନ୍ତି କେମନ୍ତେ ପଙ୍ଗୁ ପୋତକ ପଲ

ଚାନ୍ଦା ଖାତା ଧଳା ଚଦର ପାଦେ ମାନ୍ତ୍ର ଚପଲ

ବାକ୍ୟବୀର ‘ଲେକର୍ଚରା’ଙ୍କ ଦାଢ଼ୀ ଦାଉ ପ୍ରବଳ

ଜଳକା କରିବ କୌଶଳ ଆଜି କେଡ଼େ ସରଳ

ଉହାଡ଼େ କୁକୁଡ଼ା ପାରୁଶ ଆଶ୍ରମ ନିରାମିଷ

ଜଳ ତୁଳସୀ ଗଣ୍ଡୁଷରେ ସାରୁ ସିଝା ମାରିଷ

ପୁରୁଷ ବୋଲନ୍ତି ସମାଜେ ଅଛଦରା ପୁରୁଷ

ଠକିଖିଆଙ୍କର ଯୁଗରେ ଖଟିଖିଆ ହତାଶ

ଡ଼ବ ଡ଼ବ ଆଖି ପାଣିକି ପାରୁଥିବା ନିଗାଡ଼ି

‘ଗଲା ଗଲା ଧର ଆହାଲା’ ଧ୍ୱନି ଘନ ଅଜାଡ଼ି

ବିଦ୍ୟାଲାଗି ତ୍ୟାଗ କରରେ’ ମାର ରଡ଼ି ଚିତ୍କାର

ବହୁରୁପୀ ଭଣ୍ଡ ତପସ୍ୱୀ ସଦା ଉଭା ସଭାର

ବକନ୍ତି ଯେତେ ତା ଶତାଂଶେ ଯେବେ ଧରନ୍ତେ ହଲ

କଳଘର କୃଷି ଶିଳ୍ପରେ କେତେ ହୋନ୍ତେ ସଚ୍ଛଳ

ସ୍ଵେଚ୍ଛାଚାର ସ୍ୱାଧିନତାର ବିକୃତ ରୂପ ଏକ

ବାର ବିଚାର ନ ରଖିଲେ ବୁଡ଼େ ଶୁଦ୍ଧ ବିବେକ

ଏ ସକଳ ଖଳ ବିଦ୍ୟାରେ ମୁହିଁ ବଡ଼ ପାରଗ

ଶିଖାଇବି କେତେ ସୂକ୍ଷ୍ମରେ ଗଳାକଟା ମାରଗ

ମନୁ ବାଲମିକ ବ୍ୟାସଙ୍କୁ ଯାହା ନୋହେ ଗୋଚର

ମୋ ପେଟରେ ଅଛି ସେମାନ ଅସରନ୍ତି ଭଣ୍ଡାର

ଖୋଜା ଥିଲା ଯାହା ମିଳିଲା, ତହୁଁ ଅଧିକ କିଛି

ନ ଜାଣିଲେ ସାହି ପଡ଼ିଶା ଅବା ମଶକ ମାଛି

ଚଉଦ ଭୁବନ ଖେଦୁଛୁଁ ସତେ ତୁମ୍ଭ ପରି ତ

ଆଖିରେ ପଡ଼ିନି ଏମନ୍ତ ଯନ୍ତୁ ଜନାକାରୀ ତ

ଏତେ ଗୁଣ ଥାଉ ପେଟରେ ତୁମ୍ଭେ ବୁଲା ଫକୀର

ଗଣ୍ଠିଲି ବାନ୍ଧି ବିଜେ ହୁଏ ପୂଜା କର ଆଖର

ପୁରୋଧା ହେବା କିବା କଥା ହେବ ଗୁରୁ ଗୋସାଇଁ

କେବଳ ଆମ୍ଭ କୁଶଳକୁ ଜଣା କାଳିକା ଠେଇଁ

ବସି ବସି ଧୂନି ଜାଳିବ ହେବ ମହାପୁରୁଷ

ପାଦ ତଳେ ଥୁଆ ରହିବ ଭାଗ ବାଣ୍ଟ ପାରୁସ

ମଦ ଭାଟି ଅବା ଗଞ୍ଜାଇ ଅବା ରସବତୀଙ୍କ

ସବୁ ଇଜିମାଲି ଭଣ୍ଡାର କେତେ ଆଣିବୁ ଝୂଙ୍କି

ଆରତ ଚଳକି ଆହ୍ଲାଦେ ‘ଭରତ’ଙ୍କୁ ବୋଲଇ

ଉଠ ବାପଧନ ଏଥର ଭାଗ୍ୟ ଊଦ୍ଧ୍ଵେ ଜଳଇ

ମାରିବୁ ଭେଲୁଆ ଗୁଣ୍ଡାରୁ ବାପା ଥୋଇଛି ଥାତି

ସେ ପାଠ ପଢ଼ିନି ଏ ଭାଇ ବଡ଼ ଦାଢ଼ୁଆ କାତି

 

ଚତୁର୍ଥ ଛାନ୍ଦ

 

(ପର୍ବତଗୁହା ମଧ୍ୟେ କାଳିକା ପୂଜା ମଣ୍ଡପ । ଭରତଙ୍କୁ ବଳିଦେବାର ଆୟୋଜନ ସମ୍ପୂର୍ଣ୍ଣ । ବଳିପୂର୍ବେ ନିଶା ଘୋରରେ ତସ୍କରଙ୍କ ଆତ୍ମକଳହ, ପରସ୍ପରକୁ ଆକ୍ରମଣ, ହଣାହଣି ସକଳେ ମୃତ । ପାଷାଣ ପ୍ରତିମାଙ୍କ ଚିନ୍ମୟୀ ରୂପ ଧାରଣ । ଭରତଙ୍କ ଅପୂର୍ବ ଜ୍ୟୋତି ଦର୍ଶନ, ଦିବ୍ୟଜ୍ଞାନ ଲାଭ।)

 

ତହିଁ ଗିରି ଗହଳ, ଗହ୍ୱର ମଧ୍ୟସ୍ଥଳ

ଜଳୁଛି ଦୀପ ମିଞ୍ଜି ମିଞ୍ଜି

ସୁର ପାନ ବିହ୍ୱଳ ଦସ୍ୟୁ ତସ୍କର ଦଳ

ଚୋବାନ୍ତି ଚିଙ୍ଗୁଡ଼ୀଙ୍କ ଲାଞ୍ଜି

ସଜ ବାଜ ବେଶର ରସୁଣ ପିଆଜ

ଗନ୍ଧ ମହକି ଉଠେ ଆଜ

ହୋମକୁଣ୍ଡ ନିକଟ ପ୍ରକଟ ଝଟ ଝଟ

ଯୁପ କାଷ୍ଠେ ସିନ୍ଦୁର ରଜ ।

 

ଭରତଙ୍କୁ ଅଣାଇ ନବ ବସ୍ତ୍ର ପିନ୍ଧାଇ

ମନ୍ଦାର ମାଳା ଦେଲେ ଗଜେ

ନିଶଙ୍କ ନିର୍ବିକାର, ଆହ୍ଲାଦେ ଏକାକାର

ଚିନ୍ମୟୀ ଜ୍ୟୋତି ମର୍ମେ ଜ୍ୱଳେ

ପ୍ରେମ ଭୋଳେ, କା ରୁପ ଖେଳେ ନେତ୍ରାଞ୍ଚଳେ

ସେତ ଡାକୁଛି ଆସ କୋଳେ ।

ଦିଗମ୍ୱରା ମୂରତି ମହାମାୟା ପ୍ରକୃତି

ପାଦେ ଦଳୁଛି ମହାକାଳେ ।

 

ଅମ୍ୱିକା କର ଏହା, ଯାନ୍ତ୍ରାପଥ ସାରୋହା

ବିଜୟ ଦିଅ ଭଗବତୀ

ଆୟୁ ଆରୋଗ୍ୟ ଧନ୍ୟ, ପୂର୍ଣ୍ଣ ହେଉ ଏ ମାନ

ପ୍ରତିଷ୍ଠା ହେଉ ବଳବତୀ

ମହାମାୟୀ, ବାଞ୍ଛା କଳ୍ପ ଲତ୍ତିକା ତୁହି

ଅଳପେ ନିତ୍ୟ ବରଦାୟୀ

କେଉଁ କଥା ଅଜଣା, ତୋ ପାଦେ ନିତ୍ୟ କିଣା

କା’ ମନ ରସେ କେଉଁଠାଇଁ ।

 

ଆରତ ବେଳେ ଭାଇ, ଥୋଇଦେ କଣ୍ଠ ଏହି

ସେ ତଥା ଥୁଏ ହରିକାଠେ

ଚକ ଚକ ଚମକେ, ଝକ ଝକ ଝଟକେ

ଭୈରବ କୃପାଣ ଉଚ୍ଚାଟେ

ଏହି କାଳ ଉଠିଲା ବିରାଟ କନ୍ଦଳ

ମଦ୍ୟପ ମଧ୍ୟେ ଲାଗେ ଗୋଳ

ଏ ବୋଲେ ମୁହିଁ ହାଣିବି, ସେ ବୋଲେ ମୁଁ ଟାଣିବି

ଭାରି ଦିମାକ ଏତେ ବଳ !

 

କେ ଧରେ କାହା ଚୁଣ୍ଟି, କେ ଟିପେ କାହା ତଣ୍ଟି

ପୁଣ୍ଟି ଫଟାଙ୍କ ହଣାହଣି

ସଂଗ୍ରାମ ଭୁମିବତ, ଆୟୁଧ ପ୍ରତିଘାତ

କେତେ ଯେ ମଲେ ନୋହେ ଗଣି

ଟହ ଟହ ହସିଲେ ଟହକ ହାସିନୀ

ରହିଲେ ମାନ୍ତ୍ର ଖଣ୍ଟ ବେନି ।

ଏ ବୋଲେ ମୁଁ ହାଣିଛି, ସେ ବୋଲେ ମୁଁ କିଣିଛି

ଅଧିକାର କାହାର ଘେନି ।

 

କହ ବାପା ଆରତ, କାଳିକା ଆଗେ ସତ

କେ ଦେଲା ଟଙ୍କା ମୁଣି ଥୋଇ ?

ଭୁଣ୍ଡି ଭାରିଜା ପାଇଁ, ‘ନୋଥକି ଦେଇ ନାହିଁ

ହୋଇନି ମହାରଦେ ଭାଇ ?

ଆକୁ ପାକୁ ‘କା’ ନୋଥ ଦେଲା କେ କାହାକୁ ।

ମୋ ଭାଗେ ପାଇଥିଲି ତାକୁ

ମୋତେ ମାରିଛୁ ଛୁରି, ମୋ ଧନେ ହିମାଯୋରି !

ଚଳିଲା ଦ୍ୱନ୍ଦ ଦେଖୁଁ ଦେଖୁଁ

 

ସେ ନୋଥ ମୋର ଭାଗ ତା ସଙ୍ଗେ ସୁନା ତାଗ

ସତ୍ୟ ତ ଦେଖୁନି ଚଦରେ

ଏତେ ତୁ ଗଳାକଟା, ମୋ ରୁପା ପାନବଟା

ଭୁଣ୍ଡିକୁ ଖୋଇଲୁ ଆଦରେ

ଗେହ୍ଲା ଭାଇ ଆଣ ମୋ ଧନ ଦିଅ ଥୋଇ

ସେ ପାଠ ମୁହିଁ ପଢ଼ିନାହିଁ

କାଳୀ ତ କାଳୀ କାଳୀ ତା ସଙ୍ଗେ ଜଡ଼ା ବଳି

ଗଡ଼ ଗଡ଼ କରିବି ମୁହିଁ ।

 

ହେଲେ ବିପରୀତ,      ଆରତଙ୍କ ଗୁପତ

ମୁନାଫା ନେଲା, ସଦ୍ୟ ପ୍ରାଣ

ବେନି ଖଣ୍ଟ ଅଜ୍ଞାନ, କେ କାହାକୁ ନିଉତ

ଲହୁ ଲୁହାଣେ ଅବସାନ

ଶୁଭଙ୍କରୀ, କୌଶଳେ ଖଳଙ୍କୁ ସଂହାରି

ସତ୍ୟକୁ ଟେକିଲେ ପ୍ରସାରି

କୃପଣ ଆତତାୟୀ ସନ୍ଥ ଜନଙ୍କ ଦ୍ରୋହୀ

ମାରିବା ଲାଗି ସେ ଖର୍ପରୀ ।

 

ଦେବତାଙ୍କ ବିଚାର, ସତ୍ୟେ ପ୍ରତିଷ୍ଠା ତାର

ବୁଦ୍ଧି ଅଗମ୍ୟ ରୀତି ସାର

ଥାଉ ସନ୍ଥ ପୀତନ, କଳ୍ପନା ମାନ୍ତ୍ର ଜାଣ

ମନ୍ଦର ଟାଳଇ ଫୂତ୍‌କାର

ବରରୋହ ବର ଅଭୟ ଦୁଇ ବାହା

ନିର୍ମଳ ଜନଙ୍କର ସାହା

ଖଳ ହେଲେ ପ୍ରବଳ, ଖଣ୍ଡା ଖର୍ପର ମାଳ

ଚାହାଁ ଶ୍ରୀ ଅଙ୍ଗେ ଅଛି ଥୁଆ ।

 

ବିଚିନ୍ତ୍ର ଅଘଟନ, ହେଲା ତହିଁ ଘଟନ

ପାଷାକ ପ୍ରତିମା ଥରିଲା

ଉଠ ଉଠ ମୋ ଧନ, ବୋଲି ସେ ଅସାଧନ

ସାଧିନୀ ଅଙ୍କେ ଉଠାଇଲା

ନାଶି ଶେଷେ ଯତୀନ୍ଦ୍ର ଅଛନ୍ତି ସ୍ୱଦେଶେ

ସମ୍ପୂର୍ଣ୍ଣ ସମାଧି ବିଳାସେ

ଆରତ ଗୃହବାସ, ପତ୍ନୀଙ୍କ ଅବିଶ୍ୱାସ

ଶ୍ମଶାନ ହୋଇଛି ନିକାସ ।

 

ପଞ୍ଚମ ଛାନ୍ଦ

 

(ରାଜା ରହୁଗୁଣ କପିଳାଶ୍ରମରୁ ଫେରୁଥିଲେ । ପାଇକମାନେ ଜଡ଼ ଭରତଙ୍କୁ ରାଜାଙ୍କ ଶିବିକା ବହନରେ ନିଯୁକ୍ତ କଲେ । ଈଶ୍ୱର ଧ୍ୟାନରେ ମଗ୍ନ ଭରତ କୀଟ ପତଙ୍ଗ ଏଡ଼ାଇ ପାଦ ପକାଉଥାନ୍ତି । ଅନଭ୍ୟସ୍ତକାର୍ଯ୍ୟ ସତର୍କ ପଦକ୍ଷେପ ଯୋଗୁଁ କାର୍ଯ୍ୟରେ ତୃଟି । ରାଜା ଓ ପାଇକଙ୍କ ଦ୍ୱାରା ପ୍ରହୃତ ।)

 

ସେଦିନ ଶିବିକାଯାନ, ବାହାକେ ଏକାନ୍ତ ମ୍ଳାନ

ପଥଶ୍ରମ ନିଦାରୁଣ ବେଦନାମାନ

ଆସୁଥିଲେ ନରଗଣ, ବିଜୟର ଅଭିଯାନ

ବଳିଷ୍ଠ ପ୍ରଜାଙ୍କୁ ଧ୍ୟାନ ବେଠି ବିଧାନ

ଜଡ଼ା ତ ଦିଶିଲା, ପ୍ରଧାନ,

ଧରିଲେ ପାଇକେ ‘ବାବୁ ଉଠ ବହନ’

ଏତ ପୁତନା ନନ୍ଦନ, ଘଟତ୍କୋଚ ହନୁମାନ

ଅଙ୍ଗାଏ ଟେକିବି ଏକା ଖାସା ଜୁଆନ ।

 

ନାହିଁ ତହିଁକି ଶୋଚନା କର୍ମ ଲାଗି ତନୁ ସିନା

ଧର୍ମକୁ ଉଜ୍ଜ୍ୱଳ ବାନା କର୍ମ ସାଧନା

ପ୍ରତି କର୍ମେ କୃଷ୍ଣାର୍ପଣ, ପ୍ରତି ଶ୍ୱାସେ ଥିଲା ଧ୍ୟାନ

ଅହିଂସ ନିରୁପଦ୍ରବ ମନ୍ତ୍ର ସୂଚନ

ସଧାଧିସ୍ଥ ମୁମୁକ୍ଷୂଜନ

ବ୍ରହ୍ମ ରଶ୍ମି ରେଖାମାନ ଅଙ୍ଗେ ସ୍ଫୁରଣ

ପତଙ୍ଗ ପିପ୍ଲିକାକି ପାଦକ୍ଷେପ ଯିବ ନିକି

ତୀକ୍ଷ୍‌ଣ ଦୃଷ୍ଟି ଚାଳୁଁ ଗତି ହେଲା ବିଘନ

 

ବେତାଳେ ପାଦ ସଞ୍ଚାର,କେବେ କ୍ଷୀପ୍ର କେବେ ଧୀର

ବାହାକଙ୍କୁ ହରବର ପ୍ରତି ଠାବର

ଶିବିକା ମଧ୍ୟେ ନୃପତି, ଚହଲା ଦୋହଲା ଅତି

କୀ ହୋଇଛି କାହିଁ ପାଇଁ ଶ୍ଳଥ ପୟର

ସୁନ୍ଦର ବଳିଷ୍ଠ ଯୁବକ

ଅକର୍ମଣ୍ୟ ଠାପୁଆ କି ହୃଦେ ତଞ୍ଚକ

ବସିଲା ବିଧା ଚାପୁଡ଼ା, ନାହିଁ ଗ୍ଲାନି ସେ ହାଉଡ଼ା

ହାତେ ମାପି ଚାଖଣ୍ଡେ ଚାଲଇ କାଳକ

ସମାଧି ଧ୍ୟାନ ତଦ୍ଗତ, ଭ୍ରମୁଛି ଊର୍ଦ୍ଧ୍ୱ ଜଗତ

ବିଚିତ୍ର ନୁହଇ ହେବା ଅନ୍ୟମନସ୍କ ।

 

ସମ୍ମୁଖେ ପତଙ୍ଗ ଡ଼ିମ୍ୱ ଦେଖୁଁ ହେଲା ଗତି ସ୍ତମ୍ଭ

ଖଡ଼ ଖଡ଼ ମୋଡ଼ି ମାଡ଼ି ପଡ଼େ ଭୁତଳେ

କ୍ରୋଧେ ନୃପତି ବାହାର, ବୋଇଲେ ଏ ସ୍ପର୍ଦ୍ଧା କାର

ଜଡ଼ା କରମକୁ କାଳ ପେଚା ସଞ୍ଚାର

ସର୍ବେ ଏକ ମୁଖେ ଚିତ୍‌କାର

ଜଡ଼ା ଯୋଗୁଁ ଅଘଟନ ପାଜି ଛୋକାର

ଦୁମଦାମ ଭୁଷୁଭାସ, କହୁଣି ହାବୁକା ଚାଷ

ପାଳ ପେଣ୍ଡୁ ଅକୁ ସବୁ କୁସୁମ ହାର ।

 

ଷଷ୍ଠ ଛାନ୍ଦ

 

(ଜଡ଼ଭରତଙ୍କ ଲାଞ୍ଛନା ରାଜାଙ୍କ ଶୁଭବୁଦ୍ଧି ଉଦୟ ଓ ଅନୁଶୋଚନା)

 

ନୋହୁ ତୁ ଠାପୁଆ ଅଳପ ତୋର ଭାରି ବହପ

ଶୁଣି ନାହୁଁ କିରେ ପାଜିଙ୍କୁ ମୁହିଁ କାଳ ସରପ

ମୋ ସଙ୍ଗେ ଲାଗିଛି ଟାପରାଟାହୁଳିକି ତୋହର

ରାଣ୍ଡଙ୍କ ପଥୁରୀ ଠାରୁତ ନିଦା ତୋ କଳେବର

ସିଧା ପଡ଼ୁନାହିଁ ପୟର ଖୋଜୁ ଅମାପ ମାଡ଼

ଭାଜିଯିବ ସବୁ ଭଗୁରି ଗଣ୍ଠି ଗୋଡ଼ ବୁହାଡ଼

ଗଣ୍ଡିତ ହୋଇଛି ନିଖୁଣ ଯଥା ଲୁହା ମୁଗୁର

କେତେ ଅବା ଦୂର ମୋ ଘରହେଲା କେତେ ଉଛୁର

ଜାଣି ଶିହାଣିଆ ପଣକୁ ଦେବି ଭଲ ଔଷଧ

କାଳ କାଳକୁ ମନେ ଥିବ ହେବ ଶିକ୍ଷା ବିଷଦ

ବେଠି ଖଟିବାକୁ ଡାକିଲେ ହୁଏ ଅଙ୍ଗ ଅଳସ

ସତତ କହନ୍ତି ମୂର୍ଖଙ୍କୁ ଠେଙ୍ଗା ମାଡ଼ ସରସ

ଜାଣିନୁ ଏ ଦେଶ କାହାର କିଏ ଏ ଦେଶେ ରାଜା

କା’ ନାମେ ନିତି ପ୍ରଭାତରେ ବାଜେ ତେଲେଙ୍ଗୀ ବାଜା

 

 

ଶହ ଶହ ମାଣ ଇନାମ ତାର ନାହିଁ କି ମୂଲ

ବେମାନ ଛନ୍ତି କେ ଜଗତେ ତୁମ୍ଭ ପାଜିଙ୍କ ତୁଲ

ଅଟଳ ସମାଧି ମଗନ ଯେଉଁ ଚିତ୍ତ ନିୟତ

ଅହିଂସ ରହିବା ପାଇକି ପାଦ କ୍ଷେପେ ଜାଗ୍ରତ

ଶତ ଲାଞ୍ଛନାରେ ଅକ୍ରୋଧ ନିର୍ବିକାର ମାନସ

ଭାବୁଛନ୍ତି ସତ୍ୟ ଏହିକି ନରଦେହୀ ସର୍ବେଶ

ଆଚମ୍ୱିତେ ତୁଣ୍ଡ ଫିଟିଲା ବାଟ ଦେଖି ନୋହିଲା

ତିନିଟା ଜନମ ଏମନ୍ତେ ମୋତେ କେତେ ଘାଣ୍ଟିଲା

ନ ଜାଣିଲି କାହିଁ ଦୁଆର କେଉଁ ଶିକୁଳି ଛନ୍ଦା

କେଉଁ ସୁତାଖିଅ ସଙ୍ଗତେ ପାରା ରହିଛି ବନ୍ଧା

କେ ଥାଏ ସେ ଘରେ ତାହାର କିବା ରୀତି ଆଚର

ଜ୍ୟୋତିରେ କି ଜ୍ୟୋତିରିଙ୍ଗଣ ଅବା ଭାନୁ ଆକାର

ରାଜା ବୋଲି ଯେହୁ ବୋଲାଏ ତାର କି ଅଧିକାର

କେମନ୍ତେ କି କଲେ ଛିଣ୍ଡଇ ଦେହରୁ ଅହଂକାର

ମନବୁଦ୍ଧି ଚିତ୍ତ ଚୈତନ୍ୟ କାର କ୍ରିୟା କେସନ

କି ଦାରୁଣ ଖେଳ ଏମାନ ଭେଦ ବଡ଼ କଠିନ

ଏ ଦେହ କାହାର ତାହାତ ହେଲା ନାହିଁ ନିଶ୍ଚିତ

ପିତା ବୋଲେ ମୋର ଏ ଧନ ମାତା ଗର୍ଭେ ଜନିତ

କିଣିଲେ କେହି ସେ ବୋଲନ୍ତି ଏହି ମୋ ଅଧିକାର

ବଳେ କେ ଦଳିଲେ ଏ ଦେହ ପୁଣି ହୁଏ ତାହାର

ଶ୍ମଶାନ ଚିତାରେ ଅଗ୍ନିର ଖାଏ ଶ୍ୱାନ ଶୃଗାଳ

ଶକୁନି ଗଧଙ୍କ ଆହର ଦ୍ୱନ୍ଦ ସଞ୍ଜ ସକାଳ

ନିଶଙ୍କେ ଅଟ୍ଟାଟ୍ଟ ହସଲ ପୁଣି ଭାବେ ଗମ୍ଭୀରେ

କହିବକି ତହିଁ ସମୀର ବହେ କେଉଁ ଭ୍ରାନ୍ତିରେ

ବାଉଳେ ବାତୁଳ ସୁନ୍ଦର ପୁଚ୍ଛେ ଦେଖାଅ ପଥ

ଜଡ଼ୀଭୁତ ନର ଦେବତା କିଏ ମୋର ଅଗ୍ରତ

କାହାଙ୍କୁ ଆଣିଲି କି କର୍ମେ କାହା ସ୍କନ୍ଧେ ଚଢ଼ିଲି

ଅମର୍ତ୍ତ୍ୟ ଦେବ ଗଭା ଫୁଲ ପାଦ ତଳେ ତାଡ଼ିଲି

ଆପଣା ବକ୍ଷକୁ ଅଲକ୍ଷ୍ୟେ ସିନା ଶର ଛାଡ଼ିଲି

ପରମାନୁ ପରା ଦରବ ସାରୁ ପତ୍ରେ ବଢ଼ିଲି

ଅପରାଧ କର ମାର୍ଜନ କ୍ଷମାନୁକମ୍ପାଧର

ନିତ୍ୟ ଦାସ ଲୋଟି ଗଲେକି ପାଦ ଧୂଳି ତରଳ

ଜଡ଼ ତ ନୁହନ୍ତି ଦେଖିଲେ ବ୍ରହ୍ମ ମୂର୍ତ୍ତି ସୁନ୍ଦର

ଏ ତ ନୁହନ୍ତିରେ ବଲ୍ମିକି ଦିବ୍ୟ ଜ୍ଞାନ ମନ୍ଦର

ଟଳିଲା ନେତ୍ରରୁ ଝରିଲା ସ୍ନିଗ୍ଧ ଅମିୟ ଧାର

କରି କରି ବାୟା ହସିଲା ପୂତ ହେଲା ସଂସାର

ନାହିଁ ତହିଁ ପୁଣ୍ୟ ପାତକ ନାହିଁ ଗ୍ଲାନି ହରଷ

ସିନ୍ଧୁ ଜଳେ ନାହିଁ କଲ୍ଲୋଳ ସ୍ୱଚ୍ଛ ସ୍ଥିର ଅଳସ

ପରଣ ମଣିଏ ମୋତେକି କେବେ ହେବ ପ୍ରାପତ

ହେଉ ପଛେ ଶତ ଜନ୍ମାନ୍ତେ ପ୍ରସାଦ’ର ଆରବ

 

 

କବିମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ

 

ମୂଳ ସଂସ୍କୃତ ମହାଭାରତର ପଞ୍ଚମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଜଡ଼ ଭରତ ଉପାଖ୍ୟାନ ବର୍ଣ୍ଣିତ ହୋଇଅଛି । ଉକ୍ତ ବର୍ଣ୍ଣନାନୁଯାୟୀ ଗଣ୍ଡୁକୀ ନଦୀ କୂଳରେ ଋଷି ଭରତଙ୍କ ଆଶ୍ରମ ଥିଲା। ତାହାଙ୍କର ପିତାଙ୍କ ନାମ ଋଷି ଭେଦ ମାତା ରାଣୀ ପାଞ୍ଚଜନୀ । ଏ ଦେଶର ନାମ ଥିଲା ଅଜନାଭ, ପରେ ଭରତଙ୍କ ନାମାନୁସାରେ ହେଲା ଭାରତବର୍ଷ କିନ୍ତୁ ବହୁଳ ପ୍ରଚଳିତ ମତ ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ପୁତ୍ର ରାଜା ଭରତଙ୍କ ନାମାନୁସାରେ ଆମ ଦେଶର ନାମ ହୋଇଛି ଭାରତବର୍ଷ ।

 

ମହାଭାରତ ରଚନା ପରେ ପ୍ରାୟ ସାଢ଼େ ତିନି ହଜାର ବର୍ଷ ବିତି ଗଲାଣି । ଦେଶ , କାଳ, ପାତ୍ରର ଆମୁଳ ପରିବର୍ତ୍ତନ ହୋଇଛି । ବିଂଶ ଶତାଦ୍ଦୀର ଶେଷ ପ୍ରାନ୍ତରେ ଅସଙ୍ଗତ , ଅଯୌକ୍ତିକ, ଅବୈଜ୍ଞାନିକ କଥା ନ କହିବାହିଁ ବାଞ୍ଛନୀୟ । ପୁରାଣ ଚରିତମାନଙ୍କ ଅସଲ ଊଦ୍ଦେଶ୍ୟ ଓ ମର୍ମ ବ୍ୟାଖ୍ୟା କରିବା ହିଁ ବାସ୍ତବ ଜନରଞ୍ଜନ । ଯଦି କେହି ଜୀବସେବାକୁ ଶ୍ରେଷ୍ଠ ଶ୍ରେୟ ମନେକରି ଜୀବନ ବିତାଇ ଦିଅନ୍ତି ତେବେ ସେ ପତିତ ବୋଲି ଗଣ୍ୟ ହେବେ ଏବଂ ନର ଜନ୍ମରୁ ବିଚ୍ୟୁତ ହୋଇ ପଶୁଯୋନିରେ ଭ୍ରମଣ କରିବେ – ଏହିପରି ଆପାତ ଅସଙ୍ଗତ ବ୍ୟାପାରର ଆଲୋଚନା ହୋଇଛି ‘ଜଡ଼ ଭରତଉପାଖ୍ୟାନରେ । ଭରତଙ୍କ ପରି ଯୋଗୀନ୍ଦ୍ର ପୁରୁଷ ମଧ୍ୟ ପତନରୁ ନିଜକୁ ରକ୍ଷା କରି ପାରି ନଥିଲେ । ବ୍ୟାସଦେବ କଣ ଏହି ଶିକ୍ଷା ଦେଇଛନ୍ତି ?

 

ସାଧାରଣ ଗଳ୍ପ ଓ ପୌରାଣିକ ଗଳ୍ପ ମଧ୍ୟରେ ବ୍ୟବଧାନ ରହିଛି । ପୁରାଣ ଚରିତକୁ ବିଶ୍ଳେଷଣ କରି ହୃଦବୋଧ କରାଇବା ସହଜ କାର୍ଯ୍ୟ ନହେଁ । ଧର୍ମ ଉପଦେଶ ଦେବା ପୁରାଣକାରଙ୍କ ମୂଳ ଉଦ୍ଦେଶ୍ୟ । ସେ କାହାଣୀ ମାଧ୍ୟମରେ ଜାଗତିକ ଆଚାର ବ୍ୟବହାରର ତ୍ରୁଟି ସମୂହ, ଅଧର୍ମର ଆକର୍ଷଣ, ମନୁଷତ୍ୱ ଅର୍ଜନ ପଥରେ ନାନା ବାଧା, ବିଘ୍ନ, ବିପତ୍ତି, ବିଚାର ସଂଙ୍କଟ, ମତିଭ୍ରମ, ପତନ ଇତ୍ୟାଦି ବାସ୍ତବ ଜୀବନର ନାନା ସମସ୍ୟାର କଥା ଏବଂ ତହିଁର ସମାଧାନ ଲାଗି ସଜ୍ଜନ, ପଣ୍ଡିତ, ମହାପୁଋଷମାନେ କି ପନ୍ଥା ଅବଲମ୍ୱନ କରନ୍ତି ସେ ବିଷୟରେ ପାଠକଙ୍କୁ ସୂଚନା ଦିଅନ୍ତି । ପୌରାଣିକ ଉପାଖ୍ୟାନର ଅନ୍ତର୍ନିହିତ ମର୍ମ ଓ ଉଦ୍ଦେଶ୍ୟ ବ୍ୟାଖ୍ୟା କରି ଶ୍ରୋତାଙ୍କୁ ମୁଗ୍ଧ କରିବାର ଦାୟିତ୍ୱ ବହନ କରିବେ ପାଲାଗାୟକ ଶିଳ୍ପୀମାନେ ।

 

‘ଜଡ଼ ଭରତ’ ଉପାଖ୍ୟାନଟିର କେବଳ ପଦ ଗାଇଗଲେ ଚଳିବ ନହିଁ । ଗାୟକମାନେ ଯଥାଶକ୍ତି ବିଶ୍ଳେଷଣ ଓ ମର୍ମଭେଦ କରିବାର ଚେଷ୍ଟା କଲେ ଶ୍ରୋତା ମାନେ ମୁଗ୍ଧ ହେବା ସଙ୍ଗେ ସଙ୍ଗେ ଉନକୃତ ହେବେ, ଭବିଷ୍ୟତରେ ଭୁଲ ତ୍ରୁଟି ସମ୍ୱନ୍ଧରେ ସଚେତନ ରହିବେ । ଯେଉଁ ବୃତ୍ତିମାନଙ୍କ ଯୋଗୁଁ ଅଜ୍ଞାନୀମାନେ ଜ୍ଞାନ ଲାଭ କରିଥାନ୍ତି, ଜ୍ଞାନୀ ଲୋକଙ୍କ ହୃଦୟରେ ସେହି ଭାବ ବା ଗୁଣମାନ ଅପର ଭାବରେ ଜାଗ୍ରତ ହେଲେ ସେମାନଙ୍କ ପ୍ରଭାବରେ ଜ୍ଞାନନାଶ, ବୁଦ୍ଧି ଭ୍ରମ ଘଟେ । ସନ୍ମ୍ୟାସୀ, ମୁନି,ଋଷି, ସାଧକମାନଙ୍କ ମତିଭ୍ରମ ଓ ପତନର ଘଟଣା ଏକାଧିକ ପୁରାଣରେ ବର୍ଣ୍ଣିତ ହୋଇଅଛି । ଏହିପରି ଚିରକାଳ ଚଳିଆସିଛି, ଭବିଷ୍ୟତରେ ମଧ୍ୟ ଚଳିବ । ତା ନ ହେଲେ ମାନବ ଜୀବନର ବୈଚିନ୍ତ୍ର୍ୟ ରହିବ ନାହିଁ । ଏ ସମସ୍ତ ଜଗଦୀଶ୍ୱରଙ୍କର ଲୀଳା ଖେଳାର ଅଙ୍ଗ ।

 

କର୍ମୀ, ସଂସାରୀ ଗୃହସ୍ଥମାନଙ୍କ ପାଇଁ ଉପକାର, ପ୍ରତ୍ୟୁପକାର, ଦୟା, ଦାକ୍ଷିଣ୍ୟାଦି ପ୍ରଶଂସନୀୟ କାର୍ଯ୍ୟ ହୋଇପାରେ, କିନ୍ତୁ ସାଧକ ଯୋଗୀନ୍ଦ୍ର ପୁରୁଷମାନେ ରହିବେ ଆତ୍ମାନନ୍ଦରେ ମଗ୍ନ ସର୍ବବିଷୟେ ନିର୍ବିକାର । ଆକସ୍ମିକ କୌଣସି ଜନହିତକର କାର୍ଯ୍ୟ କରିବାକୁ ପଡ଼ିଲେ ସେ କୁଣ୍ଠିତ ହେବେ ନାହିଁ ବରଂ ସୁଚାରୁରୁପେ ସେହି କାର୍ଯ୍ୟ ସମ୍ପାଦନ କରିବା ପରେ ନିଜ ଜୀବନର ମୁଖ୍ୟ ଉଦ୍ଦେଶ୍ୟ ଈଶ୍ୱର ଆରାଧନାରେ ଲିପ୍ତ ରହିବେ । ସାଂସାରିକ ବନ୍ଧନରେ ଜଡ଼ିତ ରହିବେ ନାହିଁ, ପଦ୍ମପତ୍ରେ ଜଳ ପ୍ରାୟ ସେମାନେ ରହିବେ ନିରାଶକ୍ତ ନିସ୍ପୃହ, ନିଷ୍କାମ । ମାୟାମୁଗ୍ଧ ରହିଲେ ସାଧନମାର୍ଗରୂ ପତନ ଅନିବାର୍ଯ୍ୟ ।

 

ଋଷି ଭରତ ମୃଗ ଶିଶୁଟିକୁ ପୁଅପରି ଲାଳନ ପାଳନ କରିଥିଲେ । ସ୍ନେହ, ମାୟା , ମମତାରେ ଏପରି ଭାବରେ ଜଡ଼ିତ ରହିଲେ ଯେ ଭୁଲି ଗଲେ ଈଶ୍ୱର ଉପାସନା, ଜପତପ, ଆତ୍ମାନନ୍ଦ । ବନ୍ୟ ପ୍ରକୃତିର କୋଳରେମୃଗ ଶିଶୁଟିକୁ ଛାଡ଼ି ନ ଦେଇ ପୁତ୍ରବତ୍‌ ଲାଳନ ପାଳନ କରିବା ସଙ୍ଗେ ସଙ୍ଗେ ତାହାର ସୁଖ, ସୌଭାଗ୍ୟ, ସମୃଦ୍ଧି ପାଇଁ ବ୍ୟକୁଳ ହେଲେ । ସାଧାରଣ ମଣିଷ ପରି ମୋହ ଓ ମାୟାର ପଡ଼ିବାରୁ ସାଧନମାର୍ଗକୁ ଫେରି ପାରିଲେ ନାହିଁ ପଦ ସ୍ଖଳନ ହେଲା ।

 

ସ୍ୱର୍ଗ, ନରକ, ପରଲୋକର ଜୀବନଯାତ୍ରା, ପୁନଜନ୍ମ ଇତ୍ୟାଦିର ପ୍ରତ୍ୟକ୍ଷ ପ୍ରମାଣ ନାହିଁ। ତଥାପି ସଂସ୍କାର ବା କୁସଂସ୍କାର ପ୍ରଭାବରେ ହିନ୍ଦୁମାନେ ଶତ ଶତ ବର୍ଷ ଧରି ପରଜନ୍ମରେ ବିଶ୍ୱାସ କରି ଆସୁଛନ୍ତି । ବାସ୍ତବରେ ମଣିଷର ମୃତ୍ୟୁ ହେଲେ ଦେହ, ମନ ସବୁ ଲୁପ୍ତ ହୋଇଯାଏ। ଅନେକେ ବିଶ୍ୱାସ କରନ୍ତି ମୃତ୍ୟୁ ପରେ ମଧ୍ୟ ଯୋଗୀନ୍ଦ୍ର ପୁରୁଷ ମାନଙ୍କ ମନ, ବୁଦ୍ଧି ,ଚେତନା ଜାଗ୍ରତ ଥାଏ । ସେହିମାନେ ହିଁ ପୁଣି ଜନ୍ମ ଗ୍ରହଣ କରି ଜାତିସ୍ମର ହୁଅନ୍ତି । ନୂତନ ଶରୀର ଓ ମନ ଧାରଣ କରିଥିଲେ ମଧ୍ୟ ପୂର୍ବଜନ୍ମର ସ୍ମୃତି ଭୁଲି ପାରନ୍ତି ନାହିଁ । ମୃଗ ଜନ୍ମ ପାଇ ଭରତ ହେଲେ ଅନୁତପ୍ତ, ବୁଝି ପାରିଲେ ପୂର୍ବ ଜନ୍ମର ତ୍ରୁଟି ବିଚ୍ୟୁତି । ପ୍ରତିକାର ଉଦ୍ଦେଶ୍ୟେ ଆଶ୍ରମ ତପସ୍ୱୀମାନଙ୍କ ସଙ୍ଗେ ରହି ସେମାନଙ୍କ ରୀତି, ନୀତି ଆଚାର, ବାକ୍ୟାଳାପ ହୃଦୟଙ୍ଗମ କରୁଥିଲେ । ତପସ୍ୱୀମାନଙ୍କ ଉଚ୍ଛିଷ୍ଟ ଆହାର କରି, ସେମାନଙ୍କ ଚରଣ ରେଣୁରେ ବୋଳି ହୋଇ ପ୍ରୟଶ୍ଚିତ୍ତ କରିଥିଲେ ।

 

ସେହି ସୁକୃତିରୁ ପୁନରାୟ ଜନ୍ମ ହେଲେ ବ୍ରାହ୍ମଣ ପଣ୍ଡିତଙ୍କ ପରିବାରରେ । କିନ୍ତୁ ପିଲାଦିନୁଁ ବ୍ରହ୍ମଭାବରେ ମଗ୍ନ ରହିଥିଲେ ମୂକ ବଧିର ପରି ଆଚରଣ ଥିଲା । ବଡ଼ଭାଇ ଥିଲେ ନିର୍ବୋଧ, କୁଳାଙ୍ଗାର, ସ୍ୱାର୍ଥାନ୍ୱେଷୀ, କ୍ରୁର ପ୍ରକୃତିର ଲୋକ । କାଳୀପୂଜାର ବଳି ଉଦ୍ଦେଶ୍ୟେ ଭରତଙ୍କୁ ଡକାୟତଙ୍କୁ ବିକି ଦେଲେ । ଅନେକ ପୁର ପଲ୍ଲୀରେ ଏହିପରି ନିର୍ଦ୍ଦୟ ଦୁଷ୍ଟ ଭାଇଙ୍କ ଦେଖା ମିଳେ ।

 

କବିମଞ୍ଜୁଳଙ୍କ କଳ୍ପନାରେ ଆର୍ତ୍ତଙ୍କର ଚରିତ୍ର ଚିତ୍ରଣ, ଦସ୍ୟୁମାନଙ୍କ କାଳୀପୂଜା ଉପଲକ୍ଷ୍ୟେ ନାନା ବିଭତ୍ସ ବ୍ୟାପାରର ବର୍ଣ୍ଣନାରେ ହାସ୍ୟ କୌତୁକର ଉପାଦାନ ରହିଛି । ନିରୀହ ନିର୍ଦ୍ଦୋଷ ଲୋକଙ୍କୁ ବିପନ୍ନ କଲେ ନିଜେ ମଧ୍ୟ ବିପଦଗସ୍ତ ହେବାକୁ ପଡ଼େ । ଜୂପକାଷ୍ଟରେ ଜୀବନ ଦେଲେ ନାହିଁ ବ୍ରାହ୍ମଣ ଜନ୍ମ ପ୍ରାପ୍ତ ଭରତ । ନିଷ୍କଳୁଷ ବ୍ରହ୍ମବେର୍ତ୍ତାଙ୍କୁ କୋଳକୁ ଟାଣିନେଲେ ମହାମୟା । ଆରତ ଡକାୟତଙ୍କ ସ୍ୱର୍ଣ୍ଣାଳଙ୍କାର ଠକି ନେଇଥିଲେ , ଶେଷରେ ସେମାନଙ୍କ ହାତରେ ପ୍ରାଣ ଦେଲେ । ବ୍ରାହ୍ମଣ ଦେହଧାରୀ ଭରତ ରାଜା ବହୁଗୁଣାଙ୍କର ବେଠିଆ ଶିବିକା ବାହବ ହୋଇ ମଧ୍ୟ ହାତେ ମାପି ଚାଖଣ୍ଡେ ଚାଲୁଥିଲେ କାଳେ ଜନ୍ଦା, ପିମ୍ପୁଡ଼ି ଉପରେ ପାଦ ପଡ଼ିଯିବ । ରାଜାଙ୍କଦ୍ୱାରା ଲାଞ୍ଛିତ ହୋଇ ବ୍ରହ୍ମଜ୍ଞ ଭାବୁଥିଲେ ରାଜା କିଏ କାହାର ରାଜ୍ୟ କାହାକୁ ବହନ କରୁଥିଲି, ଅନିତ୍ୟ ଘର ସଂସାର ସବୁ ତୁଚ୍ଛ । କାଳିକାଙ୍କ ସ୍ପର୍ଶରେ ବାକ୍ୟସ୍ଫୁରଣ ହେଲା ଦିବ୍ୟଜ୍ଞାନ ଲାଭ କଲେ । ଅନୁତପ୍ତ ରାଜା ଭରତଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ଆଶା କରୁଁ କବିମଞ୍ଜୁଳଙ୍କ ଏହି ନୂତନ କାବ୍ୟ କିଛି ନୂତନ ବାର୍ତ୍ତା ଶୁଣାଇବ । ଗାୟକ ଶିଳ୍ପୀମାନେ ଏହି କାବ୍ୟ ଗାନକରି ସଭାରଞ୍ଜନ ଓ ଜନରଞ୍ଜନ କରିବାକୁ ସମର୍ଥ ହେବେ ।